Jyoti Prakash Mohapatra
Jyoti Prakash Mohapatra

@jp_mohapatra

18 Tweets 3 reads Jan 21, 2024
#ଖିଅ
ଗୋଟିଏ ଗାଁର ଗପ
ବାପ୍‌ନାହା ଘପ୍‌ନର
ଭୋରୁ ଭୋରୁ ସାନ ପିଉସୀ ଉଠେଇ ଦେବ।
- ବୁବୁଲି ଉଠ୍ ଉଠ୍। ବର ଆଇଲା। ଉଠ୍ ଜଲଦି।
ଗହଳ ମାଣ୍ଡିଆ ନିଦ ଭିତରୁ ଉଠି ମୁଁ ଆସି ଚଉପାଢୀ ପିଣ୍ଡାରେ ବସେ।
ସେତେବେଳକୁ ଦାଣ୍ଡ ଚଉରା କଡ଼ରେ ନାଲିବୋଉ, କପିଳିଆଣୀ (କପିଳା ତାଙ୍କ ଗାଁ ନାଁ ବୋଲି ତାଙ୍କୁ ଏମିତି ଡକାଯାଏ), ଟିଲି ଦେଈ, ଚୁମି, ରକି ସବୁ ଆସି ନିଜ ଜାଗା ବାଛି ସାରିବେଣି।
ବୋହୂମାନେ ତ ଆଉ ଦାଣ୍ଡରେ ସିଧା ଛିଡ଼ା ହେବେନି, ସେମାନେ ଖୁଂଟକୁ ଆଉଜି ଛିଡ଼ା ହୋଇଥିବେ। ଦାଣ୍ଡ ଗଡ଼ିଆ ଆଡ଼ୁ ଢୋଲ ଶୁଭିବ। ଶୁଭିବ- ମାଇକି ଗୀତ। ...ଏକ୍ ଦୋ ତିନ୍ ଚାର୍ ....
ତା’ପରେ ଢୋଲିଆ ସବୁ ନାଲିଆ, ହଳଦିଆ ପେଣ୍ଟ ପିନ୍ଧି ଆସି ଉଭା ହୋଇଯିବେ ଆମ ସାମ୍ନାରେ। ଢୋଲ ଉପରେ ଢୋଲ ରଖି ନାଚ, ଦକ୍ଷିଣୀ ନାଚରେ କମ୍ପିବ ଗାଁ ଦାଣ୍ଡ। ସିଏ ସରିଲେ ଆରମ୍ଭ ହୋଇଯିବ ଷେଣ୍ଢ ଲଢେଇ।
କାଳିଆ, ନାଲିଆ ଷେଣ୍ଢ ଆସି କୁଦିଯିବେ ଗାଁ ଦାଣ୍ଡ। ଯାହାକୁ ପାରିବେ ଭୂଷିଯିବେ। ବହୁ ଦିନ ଯାଏ ମତେ ଲାଗୁଥିଲା- ସତରେ ସେଗୁଡ଼ାକ ଷେଣ୍ଢ ହୋଇଥିବେ । ସପ୍ତମ ଶ୍ରେଣୀରେ ଜାଣିଲି ନା - ତା’ ଭିତରେ ମଣିଷ ପଶିଛନ୍ତି।
ଏସବୁ ନାଚ, ଗୀତ, ଢୋଲ ଆସ୍ତେ ଅପସରି ଯିବା ପରେ ଶେଷକୁ ଆସୁଥିବ ପାଲିଙ୍କିଟେ। ତା’ ଆଗରେ ଥୁଆ ହୋଇଥିବ ପେଟ୍ରୋମାକ୍ସ ଆଲୁଅ। ବର ବସିଥିବ ସେଇ ପାଲିଙ୍କିରେ, ଛୋଟିଆ ରୁମାଲରେ ପୋଛୁଥିବ ମୁହଁ। ପାଖରେ ଛିଡ଼ା ହୋଇଥିବେ ତାଙ୍କ ଗାଁ ମୂରବୀମାନେ। ନିଶ୍ଚୁପ ହୋଇ ବସିଥିବ ବର।
ଆମ ଗାଁ ବୋହୂ କି ଜେଜେମା ହୁଅନ୍ତୁ, ବରକୁ କାନିରେ ପୋଛି ପକେଇବେ। ଯଦି ପାଉଡର ଥିବ, କିଏ ଆଣି ତା ମୁହଁରେ ଟିକେ ବୋଳି ଦେଇଯିବ। କାହା ଘରୁ ଦହି ସରବତ ଆଣି ପିଆଇ ଦେବେ ବରକୁ।
ବର ଅଜଣା, ଅଚିହ୍ନା ଗାଁର, କିନ୍ତୁ ମମତା ନିଜର, ଅତି ଆପଣାର।
କ୍ରମଶଃ ସେ ନାଚଗୀତ ଚଉପାଢୀ ଆଗରୁ ଯାଇ ନାରଣ ସାରଙ୍କ ଘର ଆଗରେ, ପରେ ମହାଦେବ ମୁଣ୍ଡରେ ଜୋରରେ ଢୋଲ ପିଟି ଆରମ୍ଭ କରିଦେବେ ନାଚଗାନା। ଆମେସବୁ ପଛେ ପଛେ ଯାଉ, ବର ଆମ ଗାଁ ସୀମା ଟପି ଆର ଗାଁକୁ ଗଲା ପର୍ଯ୍ୟନ୍ତ ଆମେ ନାଚ ଦେଖୁଥିଲୁ, ଅଧରାତିରେ।
ଗୋଟେ ମଫସଲି ଗାଁରେ ସେଇ ତ ଥିଲା ମନୋରଂଜନ ପୁଣି ସଂପର୍କର ମହାପର୍ବ।
ସେଇ ଦଳରେ ଶୁଭେଚ୍ଛା ପତ୍ର ଆମ ହାତରେ ଦେଇ ଯାଉଥିବେ। ବର ଘର ଭାଉଜ (ନୂଆବୋଉ ବୋଲି ଆମ ଆଡ଼େ କହୁ), ସାନବୋଉ, ଭାଇ, ଝିଆରୀ, ପୁତୁରା ଭଳିକି ଭଳି ଗୀତ ସେଥିରେ ଲେଖିଥିବେ। ସ୍କୁଲ ନେଇ ଆମେ ତାକୁ ବହୁଦିନ ସାଇତି ରଖୁ ପଢୁ ଓ କାହା କାହା ବାହାଘର ପାଇଁ ମୁଁ ବି ବହୁବାର ସେସବୁ ଶୁଭେଚ୍ଛା ଗୀତ ଲେଖିଛି।
ସେମିତି ବର-କନିଆଁ ବାହା ହୋଇ ଫେରିଲା ବେଳେ ଆଗ ଶଙ୍ଖୁଆ ଶଙ୍ଖ ଫୁଙ୍କି ଫୁଙ୍କି ଯିବ। ଗାଁ ଜାଣିବ କୋଉ ଅଚିହ୍ନା ଗାଁର ବର-କନିଆଁ ବାହାଘର ପରେ ଲେଉଟିଲେ।
ବର ପାଲିଙ୍କି ଓ କନିଆଁ ସବାରୀ ଆଗ ଅଟକିବ ମହାଦେବଙ୍କ ପାଖରେ। ଗାଁ ନନା ଆଣି ଉଭୟଙ୍କୁ ପାଦୁକା ଦେଇ ଆଣୀର୍ବାଦ ଅଜାଡ଼ି ଦେଇଯିବେ।
ସିଆଡ଼େ ନାଲିବୋଉ, ରଙ୍ଗୀ ମା’ ଆଦି ଦହି ଧରି ଦାଣ୍ଡରେ ଅପେକ୍ଷା କରିଥିବେ। ଆଗ କନିଆଁ ସବାରୀ କବାଟ ଖୋଲି ତାକୁ ବିଞ୍ଚି ଦେଇଯିବେ, କାନିରେ ପୋଛିଦେବେ ଲୁହଧାର ନିଗିଡ଼େଇ ମଉଳି ଆସିଥିବା ସେ ମୁହଁ, ଆଉ ଏତେ ସରାଗ ପାଇ କନିଆଁ ପୁଣି କାନ୍ଦଣା ଲମ୍ବେଇବ ଗାଁରେ, ଏମାନେ ତାକୁ ତୁନି କରି ଦହି ପିଆଇବେ, ନୋଟାଏ ପାଣିରେ ଧୋଇଦେବେ ତାର ମୁହଁ, ବରର ମୁହଁ, ଦହି ଦେବେ ବରକୁ।
ସମସ୍ତେ ଅଚିହ୍ନା। କୋଉ ଗାଁ, କୋଉ ଘର ଝିଅ କେହି ଜାଣି ନଥିବେ। କିନ୍ତୁ ସରାଗ ଓ ମମତାରେ ନା କେବେ ଥିଲା ସେ ବାଛବିଚାର, ସମସ୍ତେ ନିଜର, କି ପର କି ଆପଣା, ଗାଁ ସେସବୁ ଜାଣେନି, ସେ ହିସାବ ରଖି ଶିଖି ନଥିଲା, ଜାଣିଥିଲା- ଝିଅ ଯାଉଛି ବିଦା ହୋଇ ଲୁହର ସମୁଦ୍ର ବୁହାଇ, ତେଣୁ ତାକୁ ଛାତି ଉପରକୁ ଆଉଜେଇ ଆଣୁଥିଲେ ଗାଁର ସବୁ ଝିଅ, ବୋହୁ।
୧୦
ଆମର ନଈକୂଳିଆ ଗାଁ। ଚାରିପାଖେ ନଈ। ବର୍ଷାଦିନେ ସବୁ ନଈ ମିଶି ଯାଇ ସମୁଦ୍ର ସାଜନ୍ତି। ଆଉ ସବୁ ବାହାଘର ବର୍ଷା ଦିନେ ହିଁ ହେଉଥିଲା, ଶ୍ରାବଣ ମାସ ବେଳକୁ।
ବଢିପାଣି ବେଳେ ବରଯାତ୍ରୀ ଡଙ୍ଗାରେ ଯାଉଥିଲେ। କୋଉ ପବନ ମାଡ଼ରେ ଡଙ୍ଗା ଦିଗ ହରେଇ କନିଆଁ ଗାଁରେ ପହଞ୍ଚିଲା ବେଳକୁ ତିଥି, ଲଗ୍ନ ସବୁ ଗଡ଼ି ଯାଇଥିବ।
୧୧
ବେଳେବେଳେ ଦିନେ ପୁରା ଡେରି ବି ହୋଇ ଯାଇଥିବ। କିନ୍ତୁ ସେସବୁ କିଏ ଦେଖେ? ସାତ ପୁରୁଷ ପାଇଁ ସଂପର୍କ ନିମନ୍ତେ ନିର୍ବନ୍ଧ ତ ସରିଛି, ଚକାଆଖିକୁ ସାକ୍ଷୀ ରଖି।
ବରଯାତ୍ରୀଙ୍କୁ ଆଗ ଆମ ଗାଁରେ ଦାନ୍ତ କାଠି ଦିଆ ହେଉଥିଲା। ଭୋରରୁ ତ ପହଁଚୁ ଥିଲେ ସେମାନେ। ସେମାନେ ସମସ୍ତେ ଗାଧେଇ ଯାଉଥିଲେ ନଈକୁ। ଫେରିଲେ ଚାହା ଓ ନିମକି।
୧୨
ତା’ ପରେ ପୁରୀ, କଟା କଟା ନଡ଼ିଆ ପଡ଼ି ବୁଟ ଡାଲମା। ଦିନରେ ମାଉଁସ, ଭାତ। ପୁଣି ଉପରବେଳା ଚାହା ଓ ନିମକି। ରାତିକୁ ପୁରୀ, ଡାଲମା। ଏମିତି ଲାଗି ରହୁଥିଲା। ବାହାଘର ତ କେଇ ଘଣ୍ଟାରେ ସରୁନଥିଲା। ଦିନକର କି କାମ ସେ !!
୧୩
ବାହାଘର ପରେ ପଖାଳ ଖାଇଲା ବେଳେ ରୁଷୁଥିବ ବର। ବର ଗାଁର ସବୁ ଘର ବୁଲୁଥିବ। କିଏ କୋଡ଼ିଏ କିଏ ପଚାଶ ତାଙ୍କ ହାତରେ ଗୁଞ୍ଜି ଦେଉଥିବେ। ଆଶୀର୍ବାଦ ଅଜାଡ଼ି ଦେଇଥିବେ ଗାଁର ଜୋଇଁଙ୍କ ଉପରେ।
୧୪
ବିଦା ହେଲା ବେଳେ ଆମ ଗାଁ ଝିଅ ସଭିଙ୍କ ଘରକୁ ଯାଉଥିଲା। ସଭିଙ୍କୁ ଧରି କାନ୍ଦୁଥିଲା। କାନ୍ଦଣା ଖାତା ଥିଲା ତାର। ହାଟରେ ମିଳୁଥିଲା କାନ୍ଦଣା ବହି। ଯାହା ଏ ଦେଈ ହାତରୁ ସେ ଦେଈ ମାଧ୍ୟମରେ ଆସି ତା’ ପାଖରେ ଥାଏ।
ବାହାଘର ଆଗରୁ ସାରା ଗାଁ ପାଳି କରି ଝିଅ ସହ ସାରା ଗାଁ ଝିଅଙ୍କୁ ଖାଇବାକୁ ଡାକେ ଘର ଘର କରି। ତାକୁ କହୁ ଝିଅ ଡାକରା।
୧୫
ଝିଅ ବିଦା ହେବା ବେଳର କରୁଣ ଦୃଶ୍ୟର କିଛି ସରି ହେବନି। ଝିଅ ସବାରିକୁ ଯାଉ ନଥିବ, ବୋଉ କାନି ଧରି ଗଡ଼ୁଥିବ ଘର ଅଗଣାରେ, କାନ୍ଦି କାନ୍ଦି ପଡ଼ି ଯାଉଥିବା ତା’ ଦାନ୍ତ, ମୂର୍ଛା ମାରୁଥିବ ସେ, ମୁହଁରେ ପାଣି ଛାଟିଲେ ଫେରୁଥିବ ତା’ ଚେତା, ଦାନ୍ତ ପଡ଼ି ଯାଉଥିବ, ଖିଲିକାତିରେ ଖୋଲା ହେଉଥିବ ତା’ ଦାନ୍ତ, ସେ ଲୋଟୁଥବ ଅଗଣାରେ, ଘର ଭିତରେ, କାନ୍ଦି କାନ୍ଦି ମୂର୍ଛା ହେଉଥିବେ ଗାଁର ଅନ୍ୟ ଝିଅ ବୋହୂ, ଦାଣ୍ଡ ଦୁଆରୁ ଗଗନ ଦାଦା କହୁଥିବେ- ଏ ଖୁଡ଼ୀ ତାକୁ ଛାଡ଼, ବେଳ ଗଡ଼ିଲା, ଝିଅ ଯାଉ ଏବେ, କିନ୍ତୁ ସେ କାନ୍ଦଣା ଜୁଆର ଉଠୁଥିବ ଆହୁରି କରୁଣ ହୋଇ।
୧୬
ଶେଷକୁ ଗଗନ ଦାଦା ଝିଅକୁ ଟେକି ନେଇ ସବାରୀରେ ପୁରେଇ ଦେଉଥିବେ। ଝିଅ ପାଦର ଅଳତା, ଫୁଲ, ଅରୁଆ ଚାଉଳ ଘରେ ବୁଣି ହୋଇ ଯାଉଥିବ। ଝିଅ ସବାରୀ ଉଠୁଥିବ, ସାରା ଗାଁ ଫାଟି ପଡ଼ୁଥିବ କାନ୍ଦ ବୋବାଳିରେ। ଏମିତି କେହି ସେଠି ନଥିବେ ଯାହା ଆଖିରେ ଲୁହର ବନ୍ୟା ନଥିବ।
୧୭
ଝିଅ ସାଙ୍ଗେ ଗାଁର କୋଉ ସାନବାପା କି ଭାଇ ଚାଲିଥିବେ ନୋଟାଏ ପାଣି ଧରି। ମୂର୍ଛା ମାରୁଥିବ ଝିଅ, ସେମାନେ ପାଣି ଛାଟି ଦେଉଥିବେ ଆପଣା ଗାମୁଛାରେ ଲୁହ ଲୁଚେଇ।
ଏଇମିତି ଆସ୍ତେ ଅଦୃଶ୍ୟ ହୋଇଯିବ ଆମ ଝିଅ ଆମ ଗାଁ ସୀମାନ୍ତରୁ।
ପାଖ କୋଉ ଅଚିହ୍ନା ଗାଁରେ ତେଣିକି ଅପେକ୍ଷା କରିଥିବେ ସେ ଗାଁର ଆରାଧ୍ୟ ଦେବତାଙ୍କ ଆଶୀର୍ବାଦ, ଅଚିହ୍ନା ଗାଁର ଝିଅ, ବୋହୂଙ୍କ ପଣତ ଓ ଅମାନିଆ ଆଖି ଲୁହ।
####
ଏସବୁ ଅବଶ୍ୟ ମଣ୍ଡପ, କ୍ଳବ୍, ଡିଜେ, ରିଙ୍ଗ ସେରେମନି, ମେହେନ୍ଦି, ହଲଦି, ସଙ୍ଗୀତ୍ ଜମାନାର ଢେର ଆଗର ଗପ। 🙏

Loading suggestions...